ଆଜି ଭାରତ-ବାଂଲାଦେଶ ପ୍ରଥମ T-20

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଆଜି ଖେଳାଯିବ। ବାୟୁ ପ୍ରଦୂଷଣ ଯୋଗୁଁ ଅନେକ କଟକଣା ଲାଗୁହୋଇଥିଲେ ମଧ୍ୟ ମ୍ୟାଚ୍‌ର ସମସ୍ତ ଟିକଟ ବିକ୍ରି ସରିଛି l ବାଂଲାଦେଶ ବିପକ୍ଷରେ ଭାରତର ଟି-୨୦ରେ ଶତ ପ୍ରତିଶତ ରେକର୍ଡ ରହିଛି। ଏଯାବତ୍ ଦୁଇ ଦେଶ ୮ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭାରତମାଟିରେ ଉଭୟ ଦଳଙ୍କ ମଧ୍ୟରେ ଗୋଟିଏ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଭାରତ ଏହାକୁ ୧ ରନ୍ ବ୍ୟବଧାନରେ ଜିତିଛି। ତେଣୁ ବାଂଲାଦେଶ ବିପକ୍ଷରେ ତା’ର ବିଜୟଧାରା ଜାରି ରଖିବାକୁ ଭାରତ ନିଶ୍ଚୟ ଚାହିଁବ। ପୁଣି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍‌କୁ ୧-୧ରେ ଡ୍ର ରଖିବା ପରେ ଏହି ସିରିଜ୍ ଜିତିବାର ପ୍ରୟାସ ଭାରତ ନିଶ୍ଚୟ କରିବ। ଆଇସିସି ଟ୍ବେଣ୍ଟି୨୦ ମାନ୍ୟତାରେ ଭାରତ ୫ମ ସ୍ଥାନରେ ଥିବା ବେଳେ ୯ମ ସ୍ଥାନରେ ରହିଛି ବାଂଲାଦେଶ। ତେଣୁ ନିଶ୍ଚିତ ଭାବେ ଭାରତ ଏହି ସିରିଜର ବଡ଼ ଫେଭରିଟ୍‌। ବାଂଲାଦେଶର ଦୁଇ ସବୁଠାରୁ ଅଭିଜ୍ଞ କ୍ରିକେଟର ସାକିବ୍ ଅଲ୍ ହାସନ୍ ଓ ଓପ୍‌ନର ତମିମ୍ ଇକ୍‌ବାଲ ଏହି ସିରିଜ୍ ଖେଳିବେନାହିଁ। ଫଳରେ ଦଳ ନିଶ୍ଚୟ ଦୁର୍ବଳ ହୋଇଯାଇଛି। ଭାରତୀୟ ଦଳରେ ଅଧିନାୟକ ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍‌ରା, ଭୁବନେଶ୍ବର କୁମାର ପ୍ରଭୃତି ନଥିଲେ ହେଁ ଏହାର ପ୍ରଭାବ ସିରିଜ୍ ଫଳାଫଳ ଉପରେ ପଡ଼ିବନାହିଁ। ଭାରତୀୟ ଦଳ ବହୁତ ମଜ୍‌ବୁତ ରହିଛି। ଟେଷ୍ଟ ଓପ୍‌ନର ଭାବେ ପ୍ରଥମ ସିରିଜ୍‌ରେ ଚମତ୍କାର ସଫଳତା ପରେ ରୋହିତ ଶର୍ମା ତାଙ୍କ ବ୍ୟାଟିଂ ଫର୍ମ ଜାରି ରଖିବାକୁ ଚାହିଁବେ। ତାଙ୍କ ସହ ଶିଖର ଧାୱନ, ଋଷଭ ପନ୍ତ୍, ମନୀଷ ପାଣ୍ଡେ, ଶ୍ରେୟାସ ଆୟର ଓ କେ.ଏଲ୍‌. ରାହୁଲ ବହୁତ ଭଲ ବ୍ୟାଟ୍‌ସମ୍ୟାନ୍। ଦଳକୁ ଫେରିଥିବା ସଞ୍ଜୁ ସାମ୍‌ସନ ନିଶ୍ଚୟ ସୁଯୋଗର ସଦ୍‌ବ୍ୟବହାର କରିବାକୁ ଚାହିଁବେ। ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ମୁମ୍ବଇର ଅଲ୍‌ରାଉଣ୍ଡର ଶିବମ୍ ଦୁବେ ମଧ୍ୟ ଦଳରେ ସ୍ଥାନ ପକ୍କା କରିବାକୁ ଚାହିଁବେ। ଶିବମ୍ ପ୍ରଥମ ମ୍ୟାଚ୍ ଖେଳିବେ ବୋଲି ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି।
ବାଂଲାଦେଶ ଦଳରେ ସେପରି ତାରକା ଖେଳାଳି କିମ୍ବା ଟ୍ବେଣ୍ଟି୨୦ ବିଶେଷଜ୍ଞ ନାହାନ୍ତି। ୱିକେଟ ରକ୍ଷକ ମୁସ୍‌ଫିକୁର ରହିମ୍ ସବୁଠାରୁ ଅଭିଜ୍ଞ। ଭାରତକୁ ଚକ୍‌ମାଦେବା ପାଇଁ ଅଧିନାୟକ ମହମ୍ମଦୁଲ୍ଲା ଓ ମୁସ୍ତାଫିଜୁର ରେହ୍‌ମାନ ନିଶ୍ଚୟ ପ୍ରୟାସ କରିବେ। ଆଇପିଏଲ୍‌ ଖେଳୁଥିବା ମୁସ୍ତାଫିଜୁରଙ୍କର ଭାରତୀୟ ବାତାବରଣ ଉପରେ ଅଭିଜ୍ଞତା ରହିଛି। ବାଂଲାଦେଶର ଏକାଦଶ ଉପରେ ପୂର୍ବାନୁମାନ କରିବା ବେଶ୍ କଷ୍ଟକର। ତଥାପି ସୌମ୍ୟ ସରକାର ଓ ଲିଟନ୍ ଦାସ ଇନିଂସ ଓପନ୍ କରିବା ନିଶ୍ଚିତ। ମହମ୍ମଦ ନଇମ୍‌ଙ୍କୁ ସୁଯୋଗ ମିଳିପାରେ। ବୋଲର ଭାବେ ଅଲ୍‌ ଅମିନ୍ ହୋସେନ୍ ଓ ଆରାଫତ୍ ସନ୍ନି ଖେଳିପାରନ୍ତି। ମୁସ୍‌ଫିକୁର ଓ ମହମ୍ମଦୁଲ୍ଲାଙ୍କୁ ମଧ୍ୟକ୍ରମ ସମ୍ଭାଳିବାକୁ ପଡ଼ିବ। ପିଚ ଏଠାରେ ବ୍ୟାଟିଂ ସହାୟକ ହେଵା ନିଶ୍ଚିତ ।

Leave A Reply

Your email address will not be published.