ଅଲିମ୍ପିକ କ୍ୱାଲିଫାୟର ହକି: ଭାରତକୁ ଟୋକିଓ ଟିକେଟ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଛି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। ଏଠାରେ ଚାଲିଥିବା ଅଲିମ୍ପିକ କ୍ୱାଲିଫାୟର ମ୍ୟାଚରେ ଦମଦାର ବିଜୟ ସହ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ୨୦୨୦ ଟୋକିଓ ଟିକେଟ୍‌ ମିଳିଛି । ଶନିବାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧-୪ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ହେଁ ପୂର୍ବ ବିଜୟ ଗୋଲ ବ୍ୟବଧାନ ଦୃଷ୍ଟିରୁ ରାନୀ ରାମପଲଙ୍କ ଟିମ୍‌ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛି। ଦୁଇଟି ଯାକ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୬ଟି ଗୋଲ କରିଥିବା ବେଳେ ଆମେରିକା ୫ଟି ଗୋଲ ସ୍କୋର କରିଛି। ସେହିପରି ପୁରୁଷ ହକି ଦଳ ଜବରଦସ୍ତ ପ୍ରଦର୍ଶନ କରି ରୁଷକୁ ଏକପାଖିଆ ଭାବେ ପରାସ୍ତ କରି ଟୋକିଓ ଟିକେଟ୍‌ ହାସଲ କରିଛନ୍ତି। ଭାରତ ୨୧ ଥର ପାଇଁ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛି। କେବଳ ୨୦୦୮ ବେଜିଂ ଅଲିମ୍ପିକ୍ସକୁ ଦଳ ଯୋଗ୍ୟତା ଅର୍ଜନ କରି ପାରି ନଥିଲା। ରୁଷକୁ ମନପ୍ରୀତ ସିଂହଙ୍କ ଭାରତୀୟ ଟିମ୍‌ ୭-୧ ଗୋଲରେ ପରାସ୍ତ କରିଛି। ମ୍ୟାଚ୍‌ର ଶେଷ ଗୋଲ ଓଡ଼ିଶାର ଅମିତ ରୋହିଦାସ ଦେଇଛନ୍ତି। ଅମିତ ଗୋଲ କରିବା କ୍ଷଣି କଳିଙ୍ଗ ଷ୍ଟାଡିୟମ ଖୁସିରେ ଫାଟି ପଡ଼ିଥିଲା। ଭାରତ ପକ୍ଷରୁ ଆକାଶଦୀପ ସିଂହ  (୨୩ ମିନିଟ୍‌ ଓ ୨୯ ମିନିଟ) ଓ ରୂପିନ୍ଦରପାଲ ସିଂହ (୪୮ ଓ ୫୯ତମ ମିନିଟ୍‌) ଦୁଇଟି ଲେଖାଏ ଗୋଲ ସ୍କୋର କରିଥିବା ବେଳେ ଆଜି ନିଜ ଅନ୍ତର୍ଜାତୀୟ କ୍ୟାରିୟର ୧୦୦ତମ ମ୍ୟାଚ୍‌ ଖେଳୁଥିବା ଲଳିତ ଉପାଧ୍ୟାୟ(୧୭ ମିନିଟ୍) ଓ ନୀଳକଣ୍ଠ ଶର୍ମା(୪୭ ମିନିଟ୍)  ଗୋଟିଏ ଲେଖାଏ ସ୍କୋର କରିଛନ୍ତି। ରୁଷ ପକ୍ଷରୁ ଆଲେକ୍ସ ସୋବୋଲେଭେସ୍କି ଏକମାତ୍ର ଗୋଲ ସ୍କୋର କରିଥିଲେ।

Leave A Reply

Your email address will not be published.