କେନ୍ଦ୍ରାପଡ଼ାରେ ୫୦ ହଜାର  କୋଟିର ଷ୍ଟିଲ୍ ପ୍ଲାଣ୍ଟ

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ରାଜ୍ୟ ସରକାରଙ୍କ ଆଗ୍ରହକ୍ରମେ ମିତ୍ତଲ ଗ୍ରୁପ୍ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛି । ଜିଲ୍ଲାରେ ୫୦ହଜାର କୋଟି ଟଙ୍କା ବିନିଯୋଗରେ ୧୨ ମିଲିୟନ ଟନ୍ କ୍ଷମତା ସମ୍ପନ୍ନ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ଏନେଇ ଲୋକସେବା ଭବନରେ ରାଜ୍ୟ ସରକାର-ଆର୍ସେଲ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମିତ୍ତଲ ଗ୍ରୁପ୍ ଅଧ୍ୟକ୍ଷ ଏଲ.ଏନ. ମିତ୍ତଲଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।ଦେଶର ସର୍ବବୃହତ୍ତ ଇସ୍ପାତ କମ୍ପାନୀ ଆର୍ସେଲର୍ ମିତ୍ତଲର ଏହି ମେଗା ପ୍ରକଳ୍ପ ରାଜ୍ୟର ଶିଳ୍ପାୟନକୁ ଆଉ ଏକ ପାଦ ଆଗକୁ ନେଇଛି । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହା ବରଦାନ ସଦୃଶ ହୋଇଛି । ଏହି ବୃହତ୍ତ ପୁଞ୍ଜିନିବେଶ ଜିଲ୍ଲାରେ ବ୍ୟାପକ କର୍ମନିଯୁକ୍ତିର ସୁଯୋଗ ଆଣିବ । ରାଜ୍ୟ ସରକାର ତ୍ୱରିତ ବେଗରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମିତ୍ତଲ ଗ୍ରୁପ୍ ଅଧ୍ୟକ୍ଷ ଏଲ.ଏନ. ମିତ୍ତଲ ଆଜି ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା କମ୍ପାନୀର ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପାରାଦ୍ୱୀପରେ ପ୍ରତିଷ୍ଠିତ ୬ ନିୟୁତ ଟନ କ୍ଷମତା ସମ୍ପନ୍ନ ପେଲେଟ ପ୍ଲାଣ୍ଟ ଖୁବ୍ ଶୀଘ୍ର ୧୨ ନିୟୁତ ଟନ୍ କ୍ଷମତାକୁ ସମ୍ପ୍ରସାରିତ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.