ମାର୍କେଟ ବିଲଡିଂରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ମହାଭାରତ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଘଣ୍ଟା ବିକ୍ରିକୁ ନେଇ ବଚସା ଓ ପରେ ରାଜଧାନୀରେ ମହାଭାରତ ସୃଷ୍ଟି ହୋଇଛି । ଗ୍ରାହକଙ୍କୁ ମାଡ ମାରିଥିବା ଉଠାଦୋକାନୀକୁ ୨୦ରୁ ଉର୍ଦ୍ଧ ମୁଖାପିନ୍ଧା ଯୁବକ ସେମାନଙ୍କୁ ଆକ୍ରମଣ କରିବା ସହ ଦୋକାନ ଭାଙ୍ଗି ଛିନଛତ୍ର କରିଛନ୍ତି । ଅନ୍ୟପକ୍ଷରେ  ଜନଗହଳୀପୂର୍ଣ୍ଣ ମାର୍କେଟ ବିଲଡିଂ ପଛପଟେ ଏଭଳି ଘଟଣା ଘଟିବା ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ଯୁବତୀ ମାର୍କେଟ ବିଲଡିଂକୁ ଆସିଥିବା ବେଳେ କେଶରୀମଲ ସମ୍ମୁଖରେ ଥିବା ଏକ ଦୋକାନରୁ ଘଣ୍ଟା କିଣିଥିଲେ । ଘରେ ପହଞ୍ଚିବା ଦେଖିବା ବେଳକୁ ଘଣ୍ଟାଟି ଚାଲୁନଥିଲା । ରାତି ପ୍ରାୟ ୯ଟା ବେଳେ ଦୁଇଜଣ ଯୁବକଙ୍କ ସହ ଫେରାଇବାକୁ ଆସିଥିବା ବେଳେ ଦୋକାନୀ ସହ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉଠା ଦୋକାନୀମାନେ ସେମାନଙ୍କୁ ଠେଲାପେଲା କରିବା ସହ ମାଡ଼ ମାରିଥିଲେ । ପରେ ପ୍ରତିଶୋଧ ନେବାକୁ ମାଡ଼ ଖାଇଥିବା ଯୁବକମାନେ ଧମକ ଦେଇ ପଳାଇଯାଇଥିଲେ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ୨୫ରୁ ଅଧିକ ଯୁବକ ବାଇକ ଯୋଗେ ମୁହଁରେ ମୁଖା ପିନ୍ଧି, ହାତରେ ମାରଣାସ୍ତ୍ର, ହକିଷ୍ଟିକ, ଠେଙ୍ଗା ଧରି ମାର୍କେଟ ବିଲଡିଂ ପଛପଟ ସୌଚାଳୟ ପାଖରୁ ଉଠାଦୋକାନୀଙ୍କୁ ଆକ୍ରମଣ କରିଥିଲେ । ଦୋକାନଗୁଡିକୁ ଭଙ୍ଗାରୁଜା କରିବା ସହ ଜିନିଷପତ୍ର ପିଙ୍ଗାଫୋପଡା କରିଥିଲେ । ଦୁର୍ବୃତ୍ତଙ୍କ ଏଭଳି ଆତଙ୍କରାଜରେ ଗ୍ରାହକମାନେ ଭୟଭୀତ ହୋଇ ଧାଁଦୌଡ କରିଥିଲେ । ସନ୍ଧ୍ୟା ସମୟ ହୋଇଥିବା ସେଠାରେ ଅଧିକାଂଶ ମହିଳା ଓ ଯୁବତୀ ଗ୍ରାହକଙ୍କ ଭିଡ଼ ଲାଗିଥିଲା । ଭୟରେ ସେମାନେ ଖାଇବା ପ୍ଲେଟ ଫିଙ୍ଗି ଜୀବନ ବଞ୍ଚାଇବାକୁ ଯିଏ ଜୁଆଡେ ପାରିଲା ଦୌଡି ପଳାଇଥିଲା । କିଛି ସମୟ ପର୍ଯ୍ୟନ୍ତ ମାର୍କେଟ ବିଲଡିଂ ପଛପଟ ମାର୍କେଟରେ କୋକୂଆଭୟ ଖେଳି ଯାଇଥିଲା । ଦୁର୍ବୃତ୍ତମାନେ ଗୋଟିଏ ପଟୁ ଦୋକାନ ଭଙ୍ଗାରୁଜା କରୁଥିବା ବେଳେ ଦୋକାନୀମାନେ ଏକତ୍ରିତ ହୋଇ ସେମାନଙ୍କୁ ପ୍ରତିଆକ୍ରମଣ କରିଥିଲେ । ଫଳରେ ସେଠାରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ଏକାଧିକ ଆହତ ହୋଇଥିବା ଜଣାପଡିଛି । ଖବରପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ଆସିବା ଦେଖି ଦୁର୍ବୃତ୍ତମାନେ ସେଠାରେ ଚମ୍ପଟ ମାରିଥିଲେ । ପୁଲିସ ଓ ଦୋକାନୀମାନେ ପିଛା କରି ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିଲେ । ସେମାନଙ୍କ ବୟାନକୁ ଆଧାର କରି ଅନ୍ୟମାନଙ୍କୁ ଚିହ୍ନଟ କରିବା ସହ ଅନ୍ୟମାନଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଛି । ଡିସିପି ଅନୁପ ସାହୁ କହିଛନ୍ତି, ଦୋକାନୀଙ୍କ ସହ ବିବାଦକୁ ନେଇ ସେଠାରେ ଗୋଷ୍ଠୀ ସଂଘର୍ଷ ଘଟିଛି । ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି । ଅନ୍ୟମାନଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଗିରଫ କରାଯିବ ।ଅପର ପକ୍ଷରେ ସନ୍ଧ୍ୟା ସମୟରେ ରାଜଧାନୀର ଏକ ପ୍ରମୁଖ ଜନଗହଳୀପୂର୍ଣ୍ଣ ମାର୍କେଟ ବିଲଡିଂ ପଛପଟେ ଏଭଳି ଆତଙ୍କରାଜ କମିଶନରେଟ ପୁଲିସର ପାରିବାପଣିଆକୁ ପଦାରେ ପକାଇଦେଇଛି । ମାର୍କେଟ ବିଲଡିଂ ଆଖାପାଖରେ ପୁଲିସ ପଇଁତରା ମାରୁଥିଲେ ମଧ୍ୟ ଏଭଳି ଘଟଣା ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରିନଥିଲା ।

Leave A Reply

Your email address will not be published.