ବିିବାଦରେ ୩ ଅଭିନେତ୍ରୀ ଓ ମନ୍ତ୍ରୀଙ୍କ ଝିଅ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ବିବାଦ ଘେରକୁ ଆସିଛନ୍ତି ୩ ଓଡ଼ିଆ ଅଭିନେତ୍ରୀ ଓ ଜଣେ ମନ୍ତ୍ରୀଙ୍କ ଝିଅ । କିଏ ସେମାନଙ୍କୁ ନିଷିଦ୍ଧାଂଚଳକୁ ପ୍ରବେଶ କରିବାକୁ ଅନୁମତି ଦେଲା? କାହା ନିର୍ଦ୍ଦେଶରେ ସେମାନଙ୍କୁ ନିଷିଦ୍ଧାଂଳଚକୁ ଛଡାଗଲା? ଯେଉଁଠିକୁ ସାଧାରଣ ଲୋକଙ୍କ ଯିବା ଉପରେ କଟକଣା ରହିଛି, ଏମାନେ ପ୍ରବେଶ କଲେ କେମିତି? ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି । ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ,ଲୋଭିନା ନାୟକଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲି ଦାସଙ୍କୁ ଦେଖିବାକୁ ମିଳିଛି। ନିଷିଦ୍ଧାଞ୍ଚଳରେ ସେମାନେ ନାଚଗୀତ କରୁଥିବା ବେଳେ ସେଠାରେ ଏକାଧିକ କାର ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଭିଡିଓଟି କେବେ ସୁଟିଂ କରାଯାଇଛି, ତାହା ଜଣାପଡିନଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ଏହାକୁ ଗମ୍ଭୀରତାର ସହ ନେଇଛି । ଘଟଣାର ତଦନ୍ତ କରିବାକୁ ସମ୍ବଲପୁର ଏସପି ଜଣେ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିଛନ୍ତି । ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ମିଳିବା ପରେ ଭିଡ଼ିଓଟି କେବେ ସୁଟିଂ କରାଯାଇଥିଲା ଓ ସେଠାରେ ଯିବାକୁ କିଏ ଅନୁମତି ଦେଇଥିଲା, ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ତେବେ ଭିଡ଼ିଓରେ ଥିବା ଅଭିନେତ୍ରୀ ଓ ମନ୍ତ୍ରୀଙ୍କ ଝିଅ ଥିବାରୁ କେହି ଚାପରେ ସେମାନଙ୍କୁ ଛାଡିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ନିଷିଦ୍ଧାଂଚଳକୁ ଯିବାକୁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସତ୍ୱ ସେଠାକୁ କିପରି ଗଲେ, ତାହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ତେବେ ଘଟଣା ଯାହା ହେଉ ନା କାହିଁକି ଭିଡିଓରେ ଥିବା ଅଭିନେତ୍ରୀ ଓ ମନ୍ତ୍ରୀଙ୍କ ଝିଅ ସମେତ ପ୍ରବେଶ ପାଇଁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁୂ ଦାବି ହେଉଛି ।

Leave A Reply

Your email address will not be published.