ବାବୁସାନଙ୍କ ଚାଲାଣ କାଟିଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଷ୍ଟାରସନ ବାବୁସାନ ଓରଫ ତନ୍ମୟ ମହାନ୍ତି ଆଇନକୁ ଖୋଲାଖୋଲି ଉଲଂଘନ କରୁଛନ୍ତି । ରିଲ ଲାଇଫରେ ହିରୋ ସାଜୁଥିବା ବାବୁସାନ ରିୟଲ ଲାଇଫରେ ଟ୍ରାଫିକ ନିୟମ ଭାଙ୍ଗି ଦଣ୍ଡ ଗଣିବାକୁ ଯାଉଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ନିରାଶ ଭାବ ଖେଳି ଯାଇଛି ।
ଦୁଇଦିନ ତଳେ ସନ୍ଧ୍ୟା ୮ଟା ବେଳେ ବାବୁସାନ ବିନା ହେଲମେଟ୍ରେ ତାଙ୍କ ପଲ୍ସର ବାଇକ୍ରେ ବରମୁଣ୍ଡା ସ୍ଥିତ ତାଙ୍କ ଘରକୁ ଫେରୁଥିଲେ । କଳିଙ୍ଗନଗର ମୁଖ୍ୟ ରାସ୍ତା ଦେଇ ବିନା ହେଲମେଟରେ ଯାଉଥିବା ବେଳେ ତାଙ୍କର କେହି ଫ୍ୟାନ ଭିଡିଓ ସୁଟିଂ କରିଥିଲେ । ନିଜ ମନପସନ୍ଦର ଷ୍ଟାରଙ୍କ ଭିଡିଓ ସୁଟିଂ କରିଥିବାରୁ ତାହାକୁ ସୋସିଆଲ ମିଡ଼ିଆରେ ଅପଲୋଡ କରିଦେଇଥିଲେ । ହେଲେ ଏହି ଭିଡ଼ିଓ ଗଣମାଧ୍ୟମ ପ୍ରତିନିଧିଙ୍କ ହାତରେ ଲାଗିବା ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ପରେ ଟ୍ରାଫିକ୍ ପୁଲିସ ଉକ୍ତ ଭିଡିଓକୁ ଯାଂଚ କରିବା ପରେ ତାଙ୍କ ଘରକୁ ୧୦୦୦ ଟଙ୍କାର ଜୋରିମାନା ଦେବାକୁ ନୋଟିସ ପଠାଇଛି । ସେ ଚଢୁଥିବା ଗାଡିଟି ବାବୁସାନ ଓରଫ ତନ୍ମୟ ମହାନ୍ତିଙ୍କ ନାଁରେ ରହିଛି । 
ଅପରପକ୍ଷରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜଧାନୀର ଗାଡ଼ିଚାଳକଙ୍କ ମନରେ ଛନକା ପଶିଯାଇଥିଲା । କିନ୍ତୁ ହେଲମେଟ ପିନ୍ଧି ଗାଡ଼ି ଚଳାଇବା ସହ ଟ୍ରାଫିକର ସମସ୍ତ ନିୟମ ମାନିବାକୁ ପୁଲିସ ପକ୍ଷରୁ ସଚେତନ କରାଯାଇଥିଲା । ଏହାପରେ ଲୋକମାନେ ଧୀରେଧୀରେ ନିୟମ ମାନିବାରେ ଲାଗିଲେଣି । କିନ୍ତୁ ରିଲ୍ ଦୁନିଆରେ ହିରୋ ସାଜୁଥିବା ବାବୁସାନ ରିଅଲ ଲାଇଫରେ ବିନା ହେଲମେଟରେ ଗାଡ଼ି ଚଳାଇ ବାବୁସାନ ଫସିଯାଇଛନ୍ତି । ଉଲ୍ଲେଖଥାଉ କି, ବାବୁସାନଙ୍କ ଫ୍ୟାନମାନେ ତାଙ୍କର ପ୍ରକୃତ ନାଁ ବୋଧହୁଏ କେହି ଜାଣିନଥିଲେ । ଟ୍ରାଫିକ ପୁଲିସ ହାବୁଡରେ ପଡିବା ପରେ ବାବଙ୍କ ଅସଲି ନାଁ ତନ୍ମୟ ବୋଲି ଫ୍ୟାନମାନେ ଜାଣିଯାଇଛନ୍ତି ।

Leave A Reply

Your email address will not be published.