ଖୋଲିଲା ମାଣ୍ଡିଆ ମଣ୍ଡି

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ସ୍ୱାଧୀନତାର ୭୨ ବର୍ଷ ପରେ ପ୍ରଥମ “ମାଣ୍ଡିଆ ମଣ୍ଡି” ଶୁଭ ଉଦଘାଟନ ହୋଇଛି । କୃଷିମନ୍ତ୍ରୀ ଡ. ଅରୁଣ ସାହୁ ଏହାକୁ ଉଦଘାଟନ କରିଛନ୍ତି । ଏହି ମଣ୍ଡି ଖୋଲିବା ପରେ ଅଂଚଳବାସୀଙ୍କ ଆର୍ଥିକ ବିକାଶ ହେବା ସହ ମାଣ୍ଡିଆ କାରବାର ବଢିବ ବୋଲି ଆଶା କରାଯାଉଛି l ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳର ଚିତ୍ରକୋଣ୍ଡା ଜଳ ଭଣ୍ଡାର ଅପର ପାର୍ଶ୍ଵରେ ଥିବା ୧୫୧ ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକ ଉଦ୍ୟମ ଫଳରେ”ଗୁରୁପ୍ରିୟା ସେତୁ” ନିର୍ମାଣ ହେଲା । ଦିନେ “ବିଛିନ୍ନାଞ୍ଚଳ” ଭାବେ ପରିଚିତ ଅଞ୍ଚଳ ଏବେ “ସ୍ୱାଭିମାନ ଅଞ୍ଚଳ” ଭାବେ ନାମିତ ହୋଇଛି ।
ଅଞ୍ଚଳବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ଅଞ୍ଚଳର ବିକାଶ ପାଇଁ ସରକାରଙ୍କର ସମସ୍ତ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି । “ଓଡ଼ିଶା ମିଲେଟ ମିଶନ” ଓଡ଼ିଶା ସରକାରଙ୍କର ଏକ ରାଜ୍ୟସ୍ତରୀୟ ଯୋଜନା । ଏହି ଯୋଜନାର ମୁଖ୍ୟ ଲକ୍ଷ ହେଉଛି ମିଲେଟର ଉତ୍ପାଦନ ଓ ପୋଷଣତାକୁ ରାଜ୍ୟର ୧୪ ଟି ଜିଲ୍ଲାର ୭୨ ଗୋଟି ବ୍ଲକରେ ପୁନରୁଦ୍ଧାର କରାଇବା । ଏହି ଯୋଜନାଟି ମାଲକାନଗିରି ଜିଲ୍ଲାର ମାଥିଲି, ଖାଇରପୁଟ, ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ହୋଇଛି ।

Leave A Reply

Your email address will not be published.