ବାଂଲାଦେଶୀ ରୂପଜୀବୀ ଗିରଫ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ରାଜଧାନୀରେ ବାଂଲାଦେଶୀ ଅନୁପ୍ରବେଶକାରୀ ରୂପଜୀବୀଙ୍କ ମେଳି ଜମିବା ଓ ଏହା ପଛରେ ସେକ୍ସ ଦିଦିଙ୍କ ହାତ ଥିବା ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପୁଲିସ ଜାଗ୍ରତ ହୋଇଉଠିଛି । ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରି ଜଣେ ଅନୁପ୍ରବେଶକାରି ବାଂଲାଦେଶୀ ରୂପଜୀବୀକୁ ଗିରଫ କରିଛି । ସଂପୃକ୍ତ ଯୁବତୀଙ୍କ ବିରୋଧରେ ଦଫା ୪୧୯, ୪୬୮, ୪୭୧ ଓ ଫରେନର ଆକ୍ଟ ୧୪ (୧୯୪୬) ଅନୁସାରେ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି । ସେ ଜାଲ ଆଧାରକାର୍ଡ ଓ ବିନା ପାସପୋର୍ଟରେ ଓଡ଼ିଶା ଆସିଥିବା ଜଣାପଡିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଗିରଫଦାରୀ ନେଇ ଭୁବନେଶ୍ୱର ଡିସିପି ବାଂଲାଦେଶ ଆମ୍ବାସିକୁ ଚିଠି ଲେଖିଛନ୍ତି । ଯୁବତୀ ଜଣକ କିଛିଦିନ ତଳେ ହୋଟେଲରେ ଅସଦାଚରଣ ଓ ମାଡ ମରାଯାଇଥିବା ଅଭିଯୋଗ ଆଣିଥିଲେ । ସୂଚନା ଅନୁସାରେ, ଗତ ୧୭ ତାରିଖରେ ପୁରୁଣା ଷ୍ଟେସନ ବଜାରରେ ଥିବା ହୋଟେଲରେ ଜଣେ ଯୁବତୀଙ୍କୁ ଅସଦାଚରଣ ଓ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ହୋଟେଲର ଦୁଇ କର୍ମଚାରୀଙ୍କୁ ଗିରଫ କରିଥିଲା । ହେଲେ ଯୁବତୀ ରହୁଥିବା ହୋଟେଲ ଅନ୍ୟ ନାଁରେ ବୁକ ଥିବାରୁ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା । ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ତଦନ୍ତ ଚଳାଇବା ସହ ଯୁବତୀଙ୍କୁ ଏକ ସଟଷ୍ଟେ ହୋମରେ ରଖିବାର ବ୍ୟବସ୍ଥା କରିଥିଲା । ତଦନ୍ତ ବେଳେ ସେ ପୁଲିସକୁ ଦେଇଥିବା ଆଧାରକାର୍ଡଟି ଜାଲ ବୋଲି ଜଣାପଡିଥିଲା । ପୁଲିସ ସଂପୃକ୍ତ ଯୁବତୀଙ୍କୁ ଜେରା କରିବା ପରେ ସେ ବାଂଲାଦେଶରୁ ଭାୟା କୋଲକାତା ଦେଇ ଓଡ଼ିଶା ଆସିଥିବା ସ୍ୱିକାର କରିଥିଲା । ଚଳିତ ବର୍ଷ ଇଦପର୍ବ ପାଳନ ହେଉଥିବା ବେଳେ ସେ ଭାରତକୁ ଅନୁପ୍ରବେଶ କରିଥିଲା । ପରେ ଦଲାଲ ତାଙ୍କର ନକଲି ଆଧାରକାର୍ଡ ପ୍ରସ୍ତୁତ କରି ଓଡ଼ିଶାକୁ ପଠାଇଥିଲା । ଜଣେ ଦିଦିଙ୍କ ସହାୟତାରେ ସେ ଭୁବନେଶ୍ୱର, ପୁରୀରେ ରହି ବିଭିନ୍ନ ଅନୈତିକ କାମ କରୁଥିବା ସ୍ୱିକାର କରିଛି । ପୁଲିସ ତାଙ୍କ ବୟାନ ରେକର୍ଡ କରିବା ସହ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଅନୁପ୍ରବେଶକାରୀ ବାଂଲାଦେଶୀ ରୂପଜୀବୀ ଗିରଫ ହେବା ପରେ ରାଜଧାନୀର ସେକ୍ସ ଦିଦି ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି । ଯୁବତୀଙ୍କ ବୟାନକୁ ଆଧାର କରି ପୁଲିସ ‘ଦିଦି’କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି । ଏଥିସହିତ ଏହି ଘଟଣାରେ ସଂପୃକ୍ତ ଏଜେଂଟମାନଙ୍କୁ ମଧ୍ୟ ପୁଲିସ ଖୋଜୁଛି । ପୁଲିସକୁ କିଛି ସୁରାକ ମିଳିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ନୂଆବର୍ଷ ସେଲିବ୍ରେସନ ଲାଗି ରାଜଧାନୀକୁ ଏବେ ୨୫ରୁ ଅଧିକ ବଂଲାଦେଶୀ ରୂପଜୀବୀ ଆସିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ସେମାନଙ୍କୁ ଠାବ କରିବା ସହ ଏଜେଂଟଙ୍କୁ ଧରିବା ଲାଗି ପୁଲିସ ତଦନ୍ତକୁ ଜୋରଦାର କରିଛି ।

Leave A Reply

Your email address will not be published.