ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବଡ଼ବିଲ ଆର୍ଟ ପ୍ରୋଜେକ୍ଟର ଚତୁର୍ଥ ସଂସ୍କରଣ “ମୁଭିଙ୍ଗ ଇନଟୁ ଦି ମାର୍ଜିନ ” ଉତ୍ସବ ଉଦଯାପିତ ହୋଇଯାଇଛି।ଭାରତର ବିଭିନ୍ନ ପ୍ରାନ୍ତରର ଦଶ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଡିସେମ୍ବର ଛଅରୁ ୩ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଦଯାପାନୀ ଉତ୍ସବରେ ବଡ଼ବିଲ ଆର୍ଟ ପ୍ରୋଜେକ୍ଟରେ ଯୋଗଦାନ କରିଥିବା କଳାକାରମାନଙ୍କର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସ ଫାଉଣ୍ଡେସନ, ଭୁବନେଶ୍ୱର ଓ ଆର୍ୟ୍ୟ ଆଇରନ ଷ୍ଟିଲ କମ୍ପାନୀ ତରଫରୁ ପ୍ରତି ଦୁଇ ବର୍ଷରେ ବଡ଼ବିଲରେ ଆୟୋଜନ କରାଯାଉଥିବା କଳା ପ୍ରକଳ୍ପର ଚତୁର୍ଥ ସଂସ୍କରଣକୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କଳା ଇତିହାସ ବିଭାଗର ଵିଭାଗୀୟ ମୁଖ୍ୟ, ପ୍ରଫେସର ପ୍ରଦୋଷ ମିଶ୍ର କ୍ୟୁରେଟ କରୁଥିଲେ ।
ଚିତ୍ରଶିଳ୍ପୀ ଉମେଶ ସିଂ, ରାଜେଶ କୁମାର ସିଂ, ସୁରେଶ କେ. ନାୟାର, ପ୍ରଣତି ପଣ୍ଡା, ଅଙ୍କିତା କାଶ୍ୟପ, ଅର୍ଚ୍ଚନା ଦାସ, ବିଭୁ ପଟ୍ଟନାୟକ, ତ୍ରିନାଥ ମହାନ୍ତି, ବି. ଅଜୟ ଶର୍ମା ଓ ଶିତିକାନ୍ତ ସାମନ୍ତସିଂହାର ମୁଖ୍ୟ ସହର ଠାରୁ ଦୂରରେ ଆୟୋଜିତ ଏହି ଅଭିନବ କଳା ପ୍ରକଳ୍ପରେ ଯୋଗ ଦେଇ ସ୍ଥାନୀୟ ଅଧିବାସୀମାନଙ୍କ ସଂସ୍କୃତି, ଚଳଣି, ଚିନ୍ତାଧାରା ଓ ମନସ୍ଥିତିକୁ ଫଟୋଗ୍ରାଫି, ଭିଡିଓଗ୍ରାଫି, ଇନଷ୍ଟଲେସନ, ପରଫରମାନ୍ସ, ଚିତ୍ର, ବର୍ଜ୍ୟବସ୍ତୁକୁ ନେଇ ସ୍ଥାପତ୍ୟ ନିର୍ମାଣ ଆଦି ଭିନ୍ନ ଭିନ୍ନ ମାଧ୍ୟମରେ ନିଜ ନିଜର କଳାତ୍ମକ ସୃଷ୍ଟିକୁ ପରିପ୍ରକାଶ କରିଥିଲେ । କଳାକାର ମାନେ ରଘୁରାଜପୁରର ପାରମ୍ପରିକ ଚିତ୍ରଶିଳ୍ପୀ ମାନଙ୍କ ସହ ମିଶି ମଧ୍ୟ କଳା ସୃଷ୍ଟି କରିଥିଲେ ।
ପ୍ରୋଜେକ୍ଟର ପ୍ରାରମ୍ଭିକ ରୂପରେଖ ଓ କାର୍ୟ୍ୟ ପ୍ରଣାଳୀ ମଧ୍ୟରେ କଳାକାର ମାନଙ୍କର ବିବିଧ ପରୀକ୍ଷା ନିରୀକ୍ଷାକୁ ଉପସ୍ଥିତ ବୁଦ୍ଧିଜୀବି ମାନଙ୍କ ସାମ୍ନାରେ ପ୍ରୋଜେକ୍ଟ କ୍ୟୁରେଟର ଉପସ୍ଥାପନା କରିଥିଲେ । ବଡ଼ବିଲ ପରି ଏକ ଖଣି ଅଞ୍ଚଳରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୋଗଦାନ କରିଥିବା ପ୍ରମୂଖ ଯୁବ ଓ ପ୍ରବୀଣ ଚିତ୍ରଶିଳ୍ପୀମାନେ ସେମାନଙ୍କର ସାତ ଦିନର କଳାଯାତ୍ରାର ଅନୁଭୂତି ମଧ୍ୟ ବଖାଣିଥିଲେ । ଉତ୍ସବରେ ଉତ୍ସ ଫାଉଣ୍ଡେସନର ଚେୟାରମାନ ତଥା ବିଶିଷ୍ଠ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା ଉପସ୍ଥିତ ଥିଲେ ।

Leave A Reply

Your email address will not be published.