ହିଟମ୍ୟାନ ରୋହିତଙ୍କ ଦ୍ୱିଶତକ

ରାଞ୍ଚି : ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିଥିବା ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ୍ ଦ୍ୱିଶତକ ହାସଲ କରିଛନ୍ତି। ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ତାଙ୍କୁ ଏହି ସଫଳତା ମିଳିଛି l ଗତକାଲି ସେ ୧୧୭ ରନ୍ କରି ନଟ୍ ଆଉଟ୍ ରହିଥିଲେ। ସେହିପରି ଆଜି ଲଞ୍ଚ୍ ସୁଦ୍ଧା ସେ ୨୪୨ ବଲ୍‌ରୁ ୧୯୯ ରନ୍ କରିଥିଲେ। ଲଞ୍ଚ୍ ପରେ ସେ ଛକା ମାରି ଟେଷ୍ଟ୍ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ଏହା ପରେ ସେ ଆଉ ଏକ ଛକା ମଧ୍ୟ ମାରିଥିଲେ। ତେବେ ଏହା ପରେ ଆଉ ୧ ରନ୍ ଯୋଡ଼ି ସେ ଆଉଟ୍ ହୋଇଯାଇଥିଲେ। ସେ ୨୫୫ଟି ବଲ୍ ଖେଳି ୨୮ଟି ଚୌକା ଓ ୬ଟି ଛକା ସହାୟତାରେ ୨୧୨ ରନ୍ କରି ରାବଡାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ l ସେହିପରି ରାହାଣେ ମଧ୍ୟ ଶତକ ହାସଲ କରିଛନ୍ତି l  ୨୦୧୩ରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ପ୍ରଥମେ ଦ୍ୱିଶତକ ମାରିଥିଲେ। ଦିନିକିଆରେ ଏହା ଥିଲା ତାଙ୍କର ପ୍ରଥମ ଦ୍ୱିଶତକ। ଏହା ପରେ ୨୦୧୪ରେ କୋଲକାତାରେ ଶ୍ରୀଲଙ୍କା ବିରୋଧରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚ୍‌ରେ ସେ ଦ୍ୱିତୀୟ ଥର ପାଇଁ ଦ୍ୱିଶତକ ମାରିଥିଲେ। ଏହି ମ୍ୟାଚ୍‌ରେ ସେ ୨୬୪ ରନ୍ କରିଥିଲେ। ସେହିପରି ଦିନିକିଆରେ ସେ ତୃତୀୟ ଦ୍ୱିଶତକ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ହିଁ ହାସଲ କରିଥିଲେ। ମୋହାଲିରେ ଖେଳା ଯାଇଥିବା ଉକ୍ତ ମ୍ୟାଚ୍‌ରେ ସେ ୨୦୮ ରନ୍ କରି ନଟ୍‌ ଆଉଟ୍ ରହିଥିଲେ। ଦିନିକିଆରେ ସେ ସର୍ବାଧିକ ତିନି ଥର ଦ୍ୱିଶତକ ହାସଲ କରିଛନ୍ତି। ସେହିପରି ଗୋଟିଏ ଟେଷ୍ଟ ସିରିଜରେ ସେ ପଞ୍ଚମ ଭାରତୀୟ ଭାବେ ପାଞ୍ଚଶହରୁ ଅଧିକ ରନ କରିଛନ୍ତି l ପୂର୍ବରୁ ବିନୁ ମଙ୍କଡ଼, ବୁଦ୍ଧି କୁନ୍ଦେରନ , ସୁନୀଲ ଗାଭାସ୍କର ଓ ବୀରେନ୍ଦ୍ର ସେହବାଗ ଏହି ରେକର୍ଡ କରିଛନ୍ତି l

Leave A Reply

Your email address will not be published.