ଭୋଟ ଦେଲେ ନେତା ଓ ଅଭିନେତା

ମୁମ୍ବାଇ: ଦେଶରେ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ବ୍ୟତୀତ ୧୮ଟି ରାଜ୍ୟର ୫୧ଟି ବିଧାନସଭା କ୍ଷେତ୍ର ଏବଂ ୨ଟି ଲୋକସଭା ଆସନର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଛି । ଆସନ୍ତା ୨୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଆଜି ଗଣତନ୍ତ୍ରର ଏହି ମହାନପର୍ବରେ ସାଧାରଣ ଲୋକଙ୍କ ସହ ବଲିଉଡ୍ର ବହୁ ନାମିଦାମୀ କଳାକାର, କ୍ରିକେଟର ଓ ରାଜନେତା ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଭୋଟ ଗ୍ରହଣ ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ପରିବାର ଲୋକଙ୍କ ସହ ଭୋଟଦାନ କରିଥିଲେ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ସହ ମତାଧିକାର ସାବ୍ୟସ୍ତ କରିଛନ୍ତି। ନାଗପୁରରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ, ତାଙ୍କ ପତ୍ନୀ ଓ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଭୋଟ ଦେଇଥିଲେ। ଗୋଣ୍ଡିଆ ନିର୍ବାଚନମଣ୍ଡଳୀର ଏକ ବୁଥରେ ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ ଓ ତାଙ୍କ ପତ୍ନୀ ବର୍ଷାଙ୍କ ସହ ଭୋଟ ଦାନ କରିଛନ୍ତି।
ବିଜେପି ସାଂସଦ ତଥା ଅଭିନେତା ରବି କିଷନ ଗୋରେଗାଓଁରେ ଥିବା ଏକ ଭୋଟ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି। ଲାଠୁରରେ ଅଭିନେତା ରିତେଶ ଦେଶମୁଖ, ପତ୍ନୀ ଜେନେଲିଆ ଡି ସୋଜା ଓ ପରିବାର ବର୍ଗ ଏକାଠି ଯାଇ ଭୋଟ ଦେଇଥିଲେ। ପଶ୍ଚିମ ବାନ୍ଦ୍ରାରେ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ, ଆମୀର ଖାନ, ସଚିନ ତେନ୍ଦୁଲକର, ତାଙ୍କ ପତ୍ନୀ ଅଞ୍ଜଳି, ପୁଅ ଅର୍ଜୁନ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅଭିନେତ୍ରୀ ହେମା ମାଳିନୀ, ଶାବନା ଅଜିମ, ଜାଭେଦ ଅଖତର, ଶାହାରୁଖ ଖାନ ଓ ପତ୍ନୀ ଗୌରୀ ଖାନ୍ ଦୀର୍ଘ ସମୟ ଧରି ଲାଇନ୍ରେ ଛିଡ଼ା ହେବା ପରେ ଭୋଟ ଦେଇଛନ୍ତି। 
ସେହିପରି ଅଭିଷେକ ବଚ୍ଚନ, ପତ୍ନୀ ଐଶ୍ୱର‌୍ୟ୍ୟା, ଟେନିସ ତାରକା ମହେଶ ଭୂପତି, ପତ୍ନୀ ଲାରା ଦତ୍ତ, ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରମୁଖ ମଧ୍ୟ ଅପରାହ୍ଣରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୋଟ ଦେବା ପରେ ସେମାନେ ଖୁସି ପ୍ରକଟ କରିବା ସହ ନିଜ ନିଜ ପସନ୍ଦର ପ୍ରାର୍ଥୀ ବିଜୟୀ ହେବେ ବୋଲି ଦାବି କରିଥିଲେ ।

1 Comment
  1. Kalinga Reporter says

    Hi

Leave A Reply

Your email address will not be published.