୩ ସପ୍ତାହ ପର୍ଯ୍ୟନ୍ତ ସାରା ଦେଶ ଲକଡାଉନ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ମହାମାରୀ କରୋନା ମୁକାବିଲା ଲାଗି ଭାରତ ସରକାର କଠୋର ପଦକ୍ଷେପ ନେଇଛନ୍ତି । ସାରା ଦେଶକୁ ଲକଡାଉନ ବା ତାଲାବନ୍ଦ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ପୂର୍ବରୁ ଅନେକ ରାଜ୍ୟକୁ ଲକଡାଉନ ଘୋଷଣା କରାଯାଇଥିଲା । ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଦେଶରେ ଲକଡାଉନ ବଳବତର ରହିବ । ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ତଥା ଅତ୍ୟନ୍ତ ଜରୁରୀକାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ। ହସ୍ପିଟାଲ, ବ୍ୟାଙ୍କ, ପୌର ସେବା ଜାରି ରହିବ। ପୁଲିସ, ଅଗ୍ନିଶମ, ଓଡ୍ରାଫ୍, ପାନୀୟ ଜଳ, ବିଦ୍ୟୁତ ସେବା ଓ କରୋନା ଭାଇରସ ରୋକିବା ଲାଗି କାର୍ଯ୍ୟକରୁଥିବା ସମସ୍ତ ସଂସ୍ଥା ଖୋଲା ରହିବ । ଚୀନ ଓ ସାଉଥ କୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ବ୍ରିଟେନ ଓ ଅନ୍ୟ ଇରୋପୀୟ ଦେଶ ମାନଙ୍କ ପାଇଁ କରୋନା ଭାଇରସ୍ ଗୁରୁତର ସମସ୍ୟା ସୃଷ୍ଟି କରିଛି। ବର୍ତ୍ତମାନ ଏହି ଭାଇରସ ଭାରତରେ ମଧ୍ୟ ପହଞ୍ଚି ଯାଇଛି। ଭାରତରେ କୋଭିଡ- ୧୯ ରୋଗୀଙ୍କ ସଂଖ୍ୟା ବଢୁଛି । ଏହି ଭାଇରସ୍ ବାହାରୁ ଆସିଛି । ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କହିଛନ୍ତି ଯେ, ସମସ୍ତେ ଘରେ ରୁହନ୍ତୁ। ଘରେ ରହିଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବେ। ଏ ଭାଇରସକୁ ଆପଣଙ୍କ ଘରେ ପଶିବାକୁ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି। କରୋନା ଯେଉଁଭଳି ମହାମାରୀ ରୂପ ଧାରଣ କରିଛନ୍ତି, ଯଦି ୨୧ ଦିନ ଆମେ ଘରେ ନ ରହିବା, ତା’ହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ। ତେଣୁ କରୋନା ପାଇଁ ଭାରତ ସରକାର ବାଧ୍ୟ ହୋଇ ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶକୁ ଲକ ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣମାନେ ଘରେ ନ ରହିବେ, ତା’ହେଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବ। କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା। ଆପଣମାନେ ଦେଶର ଯେଉଁଠି ରହିଛନ୍ତି, ଏବେ ସେଇଠାରେ ହିଁ ରୁହନ୍ତୁ ବୋଲି ମୋଦି କହିଛନ୍ତି।

Leave A Reply

Your email address will not be published.