ସାରା ଓଡ଼ିଶା ଲକଡାଉନ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ମହାମାରୀ କରୋନା ମୁକାବିଲା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ସାରାରାଜ୍ୟ ତଥା ୩୦ ଜିଲ୍ଲାକୁ ଲକଡାଉନ ବା ତାଲାବନ୍ଦ ଘୋଷଣା କରାଯାଇଛି । ପୂର୍ବରୁ ରାଜ୍ୟର ୧୪ଜିଲ୍ଲା ଅର୍ଥାତ ଯେଉଁ ଅଂଚଳରେ ଅଧିକ ବିଦେଶ ଫେରନ୍ତା ଅଛନ୍ତି, ସେହି ଅଂଚଳକୁ ଲକଡାଉନ ଘୋଷଣା କରାଯାଇଥିଲା । ବାକି ୧୬ଟି ଜିଲ୍ଲାକୁ ମଧ୍ୟ ଲକଡାଉନ ଘୋଷଣା କରାଯାଇଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ବଳବତର ରହିବ । ସକାଳ ୭ଟାରୁ ରାତି ୯ଟା ଯାଏ ତାଲାବନ୍ଦ ନିର୍ଦ୍ଦେଶ ଜାରି ରହିବ । ମଙ୍ଗଳବାର ମଧ୍ୟ ରାତ୍ରୀରୁ ବାକି ସମସ୍ତ ଜିଲ୍ଲାରେ ଲକଡାଉନ ଲାଗୁ କରାଯିବ । ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ତଥା ଅତ୍ୟନ୍ତ ଜରୁରୀକାର‌୍ୟ୍ୟ ବ୍ୟତୀତ ବାକି ସମସ୍ତ କାର‌୍ୟ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ। ହସ୍ପିଟାଲ, ବ୍ୟାଙ୍କ, ପୌର ସେବା ଜାରି ରହିବ। ପୁଲିସ, ଅଗ୍ନିଶମ, ଓଡ୍ରାଫ୍, ପାନୀୟ ଜଳ, ବିଦ୍ୟୁତ ସେବା ଓ କରୋନା ଭାଇରସ ରୋକିବା ଲାଗି କାର୍ଯ୍ୟକରୁଥିବା ସମସ୍ତ ସଂସ୍ଥା ଖୋଲା ରହିବ । ଏହି ଲକଡାଉନ୍ ନିୟମକୁ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ ଜାରି କରି କହିଛନ୍ତି, ଗତ ଦୁଇ ମାସ ମଧ୍ୟରେ ଦୁନିଆ ବଦଳି ଯାଇଛି। ରାଜନୀତି, ଅର୍ଥନୀତି ସବୁକୁ କିଛି ପଛରେ ପକାଇ ସ୍ୱାସ୍ଥ୍ୟ ସମସ୍ୟା ସାରା ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି। ଚୀନ ଓ ସାଉଥ କୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ବ୍ରିଟେନ ଓ ଅନ୍ୟ ଇରୋପୀୟ ଦେଶ ମାନଙ୍କ ପାଇଁ କରୋନା ଭାଇରସ୍ ଗୁରୁତର ସମସ୍ୟା ସୃଷ୍ଟି କରିଛି। ବର୍ତ୍ତମାନ ଏହି ଭାଇରସ ଭାରତରେ ମଧ୍ୟ ପହଞ୍ଚି ଯାଇଛି। ଭାରତରେ କୋଭିଡ- ୧୯ ରୋଗୀଙ୍କ ସଂଖ୍ୟା ବଢୁଛି । ଏହି ଭାଇରସ୍ ବାହାରୁ ଆସିଛି । ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ। ତେଣୁ ନବୀନ ଅନୁରୋଧ କହିଛନ୍ତି ଯେ, ସମସ୍ତେ ଘରେ ରୁହନ୍ତୁ। ଘରେ ରହିଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବେ। ଏ ଭାଇରସ୍କୁ ଆପଣଙ୍କ ଘରେ ପଶିବାକୁ ଦିଅନ୍ତୁ ନାହିଁ ବୋଲି ନବୀନ ଅନୁରୋଧ କରିଛନ୍ତି। ଏହି ରଣନୀତିକୁ ପାଳନ କରି ଚୀନର ଉହାନ୍ ପ୍ରଦେଶ କରୋନା ଭାଇରସକୁ ହରାଇ ଦେଇପାରିଛି । ବର୍ତ୍ତମାନ ସମୟ ଆସିଛି ଆମେ ମଧ୍ୟ ଏହି ରଣନୀତିକୁ ମାନିବା, ତା ହେଲେ ଆମେ ମଧ୍ୟ ଏ ଯୁଦ୍ଧ ଜିତିପାରିବା ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.