ବାତ୍ୟା ଆଶଙ୍କା !

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଫନି ଭଳି ଚଳିତବର୍ଷ ଏକ ଘୁର୍ଣ୍ଣିଝଡ଼ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଆକଳନ ଅନୁଯାୟୀ ଏହି ମାସ ଶେଷ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ କ୍ରମଶଃ ଘନିଭୁତ ହୋଇ ବାତ୍ୟାରେ ପରିଣତ ହୋଇପାରେ । ମେଡେନ୍ ଜୁଲିଆନ୍ ଓସିଲେସନ୍ (ଏମ୍‌ଜେଓ)ର ଅଧ୍ୟୟନରୁ ଏହା ଜଣାପଡିଛି । ବିଶ୍ୱର ବିଭନ୍ନ ପାଣିପାଗ ସଂସ୍ଥାର ଡାଟା ଓ ମଡେଲ୍‌ରେ ଆକଳନକୁ ବିଶ୍ଳେଷଣ କରି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତ, ବର୍ତମାନ ଏମ୍‌ଜେଓ ଭାରତ ମହାସାଗର ପୂର୍ବ ଆଡ଼କୁ ମୁହାଁଇଛି । ଚଳିତମାସ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଏହା ବାତ୍ୟାର ରୂପ ନେଇପାରେ । ଯଦି ଏହା ବାତ୍ୟାରେ ପରିଣତ ହେଲା, ତେବେ ଫନି ପରି ଏହା ଭୟଙ୍କର ହୋଇପାରେବ । ହେଲେ ଯାହା ଆକଳନ କରାଯାଉଛି ଏହା ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାବନାହିଁ । ହେଲେ ବର୍ଷା ଲାଗି ରହିବ ।
ଆଇଆଇଟିମ ତଥ୍ୟ ଅନୁସାରେ, ଏହି ଘୂର୍ଣ୍ଣିଝଡ଼ ଭାରତୀୟ ଉପକୂଳ ଆଡକୁ ମୁହାଁଇ ମିଆଁମାର ଏବଂ ବାଂଲାଦେଶ ସୀମା ଆଡକୁ ଗତି କରିବ ଗତିକରିବା ସମ୍ଭାବନା ଅଧିକ ରହିଛି । ମେ’ ୪ କିମ୍ବା ୫ ଆଡକୁ ମିଆଁମାର-ବାଂଲାଦେଶରେ ଲ୍ୟାଣ୍ଡଫଲ କରିପାରେ। ମେ ୧ ରେ ଆଣ୍ଡାମାନ ସାଗର ନିକଟରେ ସାଇକ୍ଲୋନେଜେନେସିସ୍ ହେବାର ପ୍ରାୟ ସମ୍ଭାବନା ରହିଛି ପରେ ଏହା ଧୀରେଧୀରେ ମିଆଁମାର-ବାଂଲାଦେଶ ସୀମା ଆଡକୁ ଗତି କରିପାରେ। ତେବେ ଏପ୍ରିଲ ୨୮ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦକ୍ଷିଣ ପୂର୍ବରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାପରେ ମେ ୧ରେ ଏହି ସାଇକ୍ଲୋନିକ ସିଷ୍ଟମ ଆଣ୍ଡାମାନ ଓ ନିକୋବର ଦେଇ ଗତି କରିବ। ସାଇକ୍ଲୋନ ସବୁବେଳେ ଉତ୍ତର ଦିଗକୁ ଗତି କରିଥାଏ, ତେଣୁ ଏହି ସାଇକ୍ଲୋନିକ ସିଷ୍ଟମ ମେ ୨ରେ ଆଣ୍ଡାମାନ ଓ ନିକୋବର ଅତିକ୍ରମ କରି ମିଆଁମାର ଆଡକୁ ଯାଇ ମେ’ ୩ ରେ ମିଆଁମାରରେ ଏହା ଲ୍ୟାଣ୍ଡଫଲ କରିପାରେ। ଫଳରେ ଓଡିଶା ଉପରେ ଏତେ ମାତ୍ରାରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଆଶଙ୍କା କରାଯାଉଛି।
ଯଦିଓ ଓଡ଼ିଶା ଉପରେ ଏହାର ବର୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଭାବନ ପଡ଼ିବନି କୁହାଯାଉଛି, କିନ୍ତୁ ଏହା ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଏହା କେତେଦିନ ସମୁଦ୍ରରେ ରହିବ, କେତେ ଘନିଭୂତ ହେବ ଓ କେଉଁଠାରେ ପହଂଚିବ ତାହା ଲଘୁଚାପ ସୃଷ୍ଟି ହେବା ପରେ ସଠିକ୍ ଭାବେ କହିହେବ । 
ତେବେ ସୂଚାଇ ଦିଆଯାଇପାରେ ଚଳିତ ବର୍ଷ ଜାନୁଆରୀଠାରୁ ଏପର୍ଯ୍ୟନ୍ତ ସାମୁଦ୍ରିକ ଜଳପତନର ତାପମାତ୍ରା ଦିତ୍ୱୀୟ ସର୍ବାଧିକ ରହିଛି । ତେଣୁ ସାରା ବିଶ୍ୱର ଚଳିତ ବର୍ଷ ଅଧିକ ସଂଖ୍ୟକ ଲଘୁଚାପ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଏମ୍‌ଜେଓ ସକ୍ରିୟ ଥିବା ଦ୍ୱାରା ମୌସୁମୀ ବର୍ଷା ମଧ୍ୟ ସ୍ୱାଭାବିକ ହେବା ପାଇଁ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।
ଅନ୍ୟପଟେ ବିହାରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ପଡ଼ିଛି । ଏହାଦ୍ୱାରା ବଙ୍ଗୋପ ସାଗରରୁ ରାଜ୍ୟକୁ ପବନ ବୋହୁଛି । ଫଳରେ ରାଜ୍ୟରେ କାଲବୈଶାଖି ଜନିତ ବର୍ଷା ପବନ ହେବା ପାଇଁ ଏହା ଉପଯୁକ୍ତ ପରିବେଶ ସୃଷ୍ଟି କରୁଛି । ବିଶେଷ କରି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ପବନ ସହ ଘଡ଼ଘଡ଼ି ମଧ୍ୟ ହୋଇଛି । ଗତ ୪ ଦିନ ହେବ ଦିନବେଳା ଗରମ ଗୁଳୁଗୁଳି ସହ ଉପରେବେଳାରୁ ଘଡ଼ଘଡ଼ି ସହ ବର୍ଷା ପବନ ଆରମ୍ଭ ହୋଇଯାଛି । 
ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ପବନ ଲାଗି ରହିଥିଲା । ଗତ ୨୪ ଘଂଟା ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୬୭ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୪୨, ଅନୁଗୁଳ ୩୬ ଓ ଚାନ୍ଦବାଲିରେ ୨୮ ମିମି ବର୍ଷା ରେକର୍ଡ କରାଯାଇଛି । ଟ୍ରପ୍‌ଲାଇନ ପ୍ରଭାବରେ ଏହି ବର୍ଷା ପବନ ହେଉଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । 
ଶନିବାର ଉତର ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ପବନ ହେବ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ କାଳବୈଶାଖି ଜନିତ ବର୍ଷା ସାଙ୍ଗକୁ କୁଆପଥର ମଧ୍ୟ ପଡ଼ିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.